ଓଏଏସ୍ ସ୍ତରରେ ଅଦଳବଦଳ

ଭୁବନେଶ୍ୱର: ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ଅଦଳବଦଳ କରିଛନ୍ତି ଓଡ଼ିଶା ସରକାର। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ବରିଷ୍ଠ ଓଏଏସ ଅଧିକାରୀ ତଥା ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ଥିବା ଶ୍ରୀ ତ୍ରିଲୋଚନ ମହାନ୍ତି, ଓ.ପ୍ର.ସେ. (ଏସ୍‌)ଙ୍କର ବଦଳି କରାଯାଇଛି। ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସ୍ଥାନାନ୍ତର କରାଯାଇ ଭୁବନେଶ୍ୱରସ୍ଥିତ ରାଜସ୍ୱ ଅଧିକାରୀ ତାଲିମ ପ୍ରତିଷ୍ଠାନ (ROTI) ର ଯୁଗ୍ମ ନିର୍ଦ୍ଦେଶକ ଭାବେ ନୂତନ ଦାୟିତ୍ୱରେ ଅବସ୍ଥାପିତ କରାଯାଇଛି।

ଶ୍ରୀ ମହାନ୍ତିଙ୍କର ଏରକମ ବଦଳିକୁ ନେଇ ସରକାରୀ ଅଳିନ୍ଦରେ ବିଶେଷ କରି କେନ୍ଦୁଝର ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଛି। ରାଜ୍ୟରେ ବିଜେପି ସରକାର ଗଠନ ଏବଂ ମୋହନ ମାଝୀ ମୁଖ୍ୟମନ୍ତ୍ରୀ ହେବାପରେ କେନ୍ଦୁଝରର ତତ୍କାଳୀନ ଉପଜିଲ୍ଲାପାଳ ଶ୍ରୀ ମାଝୀଙ୍କୁ ସିଧା ସିଏମ୍ଓକୁ ଅଣାଯାଇଥିଲା। ପୂର୍ବ ସରକାରରେ ଯେପରି ଭି.କେ ପାଣ୍ଡିଆନ୍ ନବୀନ ପଟ୍ଟନାୟକଙ୍କ ପାଖେ ପାଖେ ଛାଇ ଭଳି ରହୁଥିଲେ, ସମାନ ଭାବରେ ଶ୍ରୀ ମହାନ୍ତିଙ୍କୁ ମୋହନ ମାଝୀଙ୍କ ପାଖରେ ଦେଖିବାକୁ ମିଳୁଥିଲା। ବଡ଼ ସଭାସମିତି ଠାରୁ ଆରମ୍ଭ କରି ସମସ୍ତ ସରକାରୀ କାର୍ଯ୍ୟକ୍ରମରେ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଦେଖିବାକୁ ମିଳୁଥିଲା। କେତେବେଳେ ସେ ଆସି ମୁଖ୍ୟମନ୍ତ୍ରୀଙ୍କ କାନରେ କିଛି କହିପକାଉଥିଲେ, ପୁଣି କେବେ ତାଙ୍କ ହାତକୁ କାଗଜ ଖଣ୍ଡେ ବଢ଼ାଇ ଦେଉଥିଲେ। ଏପରିକି ଲୋକେ ତାଙ୍କୁ ବିଜେପି ସରକାରର ପାଣ୍ଡିଆନ୍ ଡାକିବା ଆରମ୍ଭ କରିଦେଇଥିଲେ। ତେବେ, ହଠାତ୍ କ’ଣ ଏମିତି ହେଲା? କାହିଁକି ମୁଖ୍ୟମନ୍ତ୍ରୀଙ୍କର ଶ୍ରୀ ମହାନ୍ତିଙ୍କ ଉପରୁ ଭରସା ତୁଟିଗଲା? ଏହାକୁ ନେଇ ଏବେ ବଡ଼ ପ୍ରଶ୍ନବାଚୀ।

ଏହା ସହିତ ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ବିଭାଗର ବରିଷ୍ଠ ଅଧିକାରୀଙ୍କ ଦାୟିତ୍ୱରେ ମଧ୍ୟ ପରିବର୍ତ୍ତନ ଘଟିଛି। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଅତିରିକ୍ତ ଶାସନ ସଚିବ ଭାବେ କାର୍ଯ୍ୟରତ ଶ୍ରୀମତୀ ଗୀତାଞ୍ଜଳି ନାୟକ, ଓ.ପ୍ର.ସେ. (ଏସ୍‌.ଏ.ଗ୍ରେ.)ଙ୍କୁ ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ଅତିରିକ୍ତ ଶାସନ ସଚିବ ଭାବେ ଅବସ୍ଥାପିତ କରାଯାଇଛି। ଅନ୍ୟପଟେ, ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗର ଅତିରିକ୍ତ ଶାସନ ସଚିବ ତଥା ପୂର୍ବରୁ ବାଲେଶ୍ୱରସ୍ଥିତ ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳସଚିବ ଭାବେ ବଦଳି ଆଦେଶାଧୀନ ଥିବା ଶ୍ରୀମତୀ ନିବେଦିତା ବିଶ୍ୱାଳ, ଓ.ପ୍ର.ସେ. (ଏସ୍‌.ଏ.ଜି.)ଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗରେ ଅତିରିକ୍ତ ଶାସନ ସଚିବ ଭାବେ ନିଯୁକ୍ତି ମିଳିଛି। ଏଥିସହ ତାଙ୍କର ଏଫ୍‌.ଏମ୍‌. ବିଶ୍ୱବିଦ୍ୟାଳୟ ବଦଳି ଆଦେଶକୁ ବିଭାଗ ପକ୍ଷରୁ ସମ୍ପୂର୍ଣ୍ଣ ବାତିଲ କରାଯାଇଛି।
ବାଲେଶ୍ୱରସ୍ଥିତ ଏଫ୍‌.ଏମ୍‌. ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳସଚିବ ତଥା ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗରେ ଯୋଗ ଦେଇଥିବା ଶ୍ରୀମତୀ କୁକୁମିନା ଦାସ, ଓ.ପ୍ର.ସେ. (ଏସ୍‌.)ଙ୍କୁ ମୟୂରଭଞ୍ଜ ଜିଲ୍ଲା ବାରିପଦାସ୍ଥିତ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ପୁନର୍ବାସ ଓ ଥଇଥାନ (P.D., R&R) ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି।

Leave a Reply

Your email address will not be published. Required fields are marked *