ରାଞ୍ଚି/ଭୁବନେଶ୍ୱର: ଓଡ଼ିଶାର ନୂତନ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିବା ଝାଡ଼ଖଣ୍ଡର ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ସାଂସଦ ବ୍ରଜ ମୋହନ ରାମ ତାଙ୍କର ଏକ କଥିତ ବୟାନ ଉପରେ ଗୁରୁତ୍ୱପୂର୍ଣ୍ଣ ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି ଯେ ସାମ୍ବିଧାନିକ ପଦବୀ ଗ୍ରହଣ କରିବା ପରେ ସେ ଏବେ ଦଳୀୟ ରାଜନୀତିରୁ ବହୁ ଊର୍ଦ୍ଧ୍ୱରେ ରହିଛନ୍ତି ଏବଂ ରାଜ୍ୟରେ କୌଣସି ନିର୍ଦ୍ଦିଷ୍ଟ ଦଳ ପାଇଁ କାମ କରିବେ ନାହିଁ।
ଓଡ଼ିଶାରେ ଭାରତୀୟ ଜନତା ପାର୍ଟି (ବିଜେପି) ସଙ୍ଗଠନକୁ ସୁଦୃଢ଼ କରିବା ନେଇ ସେ ପୂର୍ବରୁ ଯେଉଁ ମନ୍ତବ୍ୟ ଦେଇଥିଲେ, ଗୁରୁବାର ଏକ ସାକ୍ଷାତକାରରେ ତାହାକୁ ସେ ଖଣ୍ଡନ କରିଛନ୍ତି। ବ୍ରଜ ମୋହନ ରାମ କହିଛନ୍ତି, “ନା, ମୁଁ ଏପରି କିଛି କହି ନାହିଁ। ମୁଁ ସ୍ପଷ୍ଟ ଭାବେ କହିଥିଲି ଯେ ମୁଁ ସମସ୍ତଙ୍କ ସହ ସମନ୍ୱୟ ରକ୍ଷା କରି ମିଳିମିଶି କାମ କରିବି। ସାମ୍ବିଧାନିକ ଦାୟିତ୍ୱ ମିଳିବା ପରେ ମୁଁ ଏବେ ଦଳୀୟ ରାଜନୀତିରୁ ଊର୍ଦ୍ଧ୍ୱରେ। ତେବେ ମୁଁ ଯେଉଁ ରାଜନୈତିକ ଦଳରୁ ଆସିଛି, ସେହି ଦଳ ହିଁ ମୋର ମୁଖ୍ୟ ପୁଞ୍ଜି ଏବଂ ସେହି ଦଳ ପ୍ରତି ମୋର ସର୍ବଦା ଆତ୍ମୀୟତା ଓ ଭଲପାଇବା ରହିବ। କିନ୍ତୁ ଏହାର ଅର୍ଥ ନୁହେଁ ଯେ ମୁଁ କୌଣସି ନିର୍ଦ୍ଦିଷ୍ଟ ଦଳ ପାଇଁ କାର୍ଯ୍ୟ କରିବି। ହମ୍ ସବ୍କେ ହୈଁ, ସବ୍ ହମାରେ ହୈଁ (ଆମେ ସମସ୍ତଙ୍କର ଏବଂ ସମସ୍ତେ ଆମର)।” ରାଜ୍ୟର ସର୍ବାଙ୍ଗୀନ ବିକାଶ ତଥା ସାମ୍ବିଧାନିକ ମୂଲ୍ୟବୋଧକୁ ରକ୍ଷା କରିବା ହିଁ ତାଙ୍କର ପ୍ରାଥମିକତା ହେବ ବୋଲି ସେ ଦୋହରାଇଛନ୍ତି।
ସୂଚନାଯୋଗ୍ୟ ଯେ, ପୂର୍ବତନ ରାଜ୍ୟପାଳ ରଘୁବର ଦାସଙ୍କ ଇସ୍ତଫା ପରେ ୨୦୨୪ ଡିସେମ୍ବର ୨୪ ତାରିଖରେ ଡକ୍ଟର ହରି ବାବୁ କମ୍ଭମପାଟି ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିଲେ। ଏହାପରେ ୨୦୨୫ ଜାନୁଆରୀ ୩ ତାରିଖରେ ଭୁବନେଶ୍ୱରସ୍ଥିତ ରାଜଭବନରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ତତ୍କାଳୀନ ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂହ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ବର୍ତ୍ତମାନ ନୂତନ ରାଜ୍ୟପାଳ ଭାବେ ବ୍ରଜ ମୋହନ ରାମ ଖୁବ୍ଶୀଘ୍ର ଓଡ଼ିଶା ଆସି ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିବେ।
ଗତ ଅକ୍ଟୋବର ୧୨ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଝାଡ଼ଖଣ୍ଡର ବରିଷ୍ଠ ବିଜେପି ନେତା ବ୍ରଜ ମୋହନ ରାମଙ୍କୁ ଓଡ଼ିଶାର ନୂତନ ରାଜ୍ୟପାଳ ଭାବେ ନିଯୁକ୍ତି ଦେଇଥିଲେ। ଏହା ସହିତ ଦେଶର ବିଭିନ୍ନ ରାଜ୍ୟରେ ମଧ୍ୟ ନୂତନ ରାଜ୍ୟପାଳମାନଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। କେରଳର ରାଜ୍ୟପାଳ ଭାବେ ଓମ ପ୍ରକାଶ ମାଥୁର, ତାମିଲନାଡୁ ପାଇଁ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର, କର୍ଣ୍ଣାଟକ ପାଇଁ ଡକ୍ଟର ସୁଧା ଯାଦବ, ଉତ୍ତରାଖଣ୍ଡ ପାଇଁ ଡକ୍ଟର ଢାଲ ସିଂହ ବିସେନ ଏବଂ ସିକ୍କିମର ରାଜ୍ୟପାଳ ଭାବେ ଦୁଷ୍ୟନ୍ତ ଗୌତମଙ୍କୁ ନିଯୁକ୍ତି ମିଳିଛି।
Newly appointed Odisha Governor Braj Mohan Ram clarified his reported remarks regarding strengthening the Bharatiya Janata Party (BJP) organization in the state, asserting that he will not work for any specific political party. Addressing reports about his comments following his appointment, Ram stated to ANI that he is now above party politics. While acknowledging his background, noting that his party remains his “capital” and will always hold his affinity, he emphasized, “I will not work for any particular party. Hum sabke hain, sab hamare hain…”












Leave a Reply