“ମୋତେ ଓଦା କାଠରେ ପୋଡ଼ିବନି। ଶୁଖିଲା କାଠରେ ପୋଡ଼ିବ। ଏଥିପାଇଁ ୧୨ ମହଣ ଶୁଖିଲା କାଠ ଆଗୁଆ ରଖିଦେଇଛି। ଓଦା କାଠରେ ପୋଡ଼ିଲେ ଅଧିକ ଧୂଆଁ ବାହାରିବ। ଧୂଆଁ ବାହାରିଲେ ଲୋକଙ୍କ ଆଖିରୁ ଲୁହ ବୋହିବ। ସମସ୍ତେ କହିବେ ଯେ ମୋ ପାଇଁ ଦୁଃଖରେ ଏତେ ଲୋକ କାନ୍ଦୁଛନ୍ତି। ହେଲେ ମୁଁ ଚାହୁଁନି ମୋ ପାଇଁ କେହି କାନ୍ଦନ୍ତୁ…” ୨୦୨୩ ମସିହାର ଏକ ସାକ୍ଷାତକାରରେ ନାନା ପାଟେକର ଏ କଥା କହିଥିଲେ। ତାଙ୍କର ଅବର୍ତ୍ତମାନରେ ସେହି ୧୨ ମହଣ ଶୁଖିଲା କାଠରେ ତାଙ୍କର ଅନ୍ତିମ ସଂସ୍କାର ହୋଇଛି।

ତାଙ୍କ ଅଭିନିତ ଚଳଚ୍ଚିତ୍ର The Vaccine Warର ପ୍ରମୋସନ ପାଇଁ ଯାଇଥିବା ବେଳେ ସେ ଏକ ଟିଭି ଚ୍ୟାନେଲକୁ ଏସବୁ କଥା କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ, ‘ମୃତ୍ୟୁକୁ ମୁଁ ଡରେନି। ଆଗରୁ ମୋ ମା, ବାପା, ଭାଇ, ଭଉଣୀ ସବୁ ଆରପାରିକୁ ଚାଲିଗଲେଣି। ମୃତ୍ୟୁ ମୋତେ ମୋ ପରିବାର ପାଖକୁ ନେଇଯିବ। ଏଣୁ ମୋ ମୃତ୍ୟୁ ପରେ କେହି କାନ୍ଦିବନି କି ମୋ ଫଟୋରେ ମାଳା ପିନ୍ଧାଇବନି‘। ବେଶ୍ ସ୍ପଷ୍ଟତାର ସହ ଏ କଥା କହିଥିଲେ ନାନା।
ଗୁରୁବାର ଭୋର ସମୟରେ ଗୋଆସ୍ଥିତ ବାସଭବନରେ ହୃଦ୍ଘାତ ଯୋଗୁଁ ୭୫ ବର୍ଷ ବୟସରେ ଆଖି ବୁଜିଥିଲେ ଏହି ମହାନ ଅଭିନେତା। ପରେ ତାଙ୍କ ମରଶରୀରକୁ ପୁଣେ ନିକଟସ୍ଥ ତାଙ୍କ ପ୍ରିୟ ଫାର୍ମହାଉସ୍ ‘ନାନାଚୀ ୱାଡି’ (ଡୋଞ୍ଜେ ଗ୍ରାମ)କୁ ଅଣାଯାଇଥିଲା। ସେଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ପୁଅ ମଲ୍ହାର ପାଟେକର ମୁଖାଗ୍ନି ଦେଇଥିବା ବେଳେ ବଲିଉଡ୍ ଓ ମରାଠୀ ସିନେମା ଜଗତର ବହୁ ବିଶିଷ୍ଟ ବ୍ୟକ୍ତି ତଥା ହଜାର ହଜାର ପ୍ରଶଂସକ ଅଶ୍ରୁଳ ବିଦାୟ ଜଣାଇଛନ୍ତି।

ନିଜର ଦମଦାର ଡାଇଲଗ୍ ଡେଲିଭରି, ନିଆରା ଅଭିନୟ ଶୈଳୀ ଏବଂ ଖୋଲାଖୋଲି ମନ୍ତବ୍ୟ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରହୁଥିଲେ। ୧୯୭୮ରେ ‘ଗମନ’ ଚଳଚ୍ଚିତ୍ରରୁ କ୍ୟାରିୟର ଆରମ୍ଭ କରିଥିବା ନାନା ପରେ ‘ପରିନ୍ଦା’, ‘ପ୍ରହାର’, ‘କ୍ରାନ୍ତିବୀର’, ‘ତିରଙ୍ଗା’, ‘ଖାମୋଶୀ’, ‘ଅବ୍ ତକ୍ ଛପ୍ପନ୍’ ଓ ‘ୱେଲକମ୍’ ଭଳି ବହୁ ସୁପରହିଟ୍ ଫିଲ୍ମରେ ନିଜ ଅଭିନୟର ଯାଦୁ ଦେଖାଇଥିଲେ।
୩ଟି ଜାତୀୟ ପୁରସ୍କାର ଏବଂ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ନାନା କେବଳ ପରଦାର ହିରୋ ନଥିଲେ, ବାସ୍ତବ ଜୀବନରେ ମଧ୍ୟ ହିରୋ ସାଜି ଖଳନାୟକ ସାଜିଥିବା ଦାରିଦ୍ର୍ୟ ବିରୋଧରେ ଲଢ଼ିଥିଲେ। ନିଜ ପ୍ରତିଷ୍ଠିତ ‘ନାମ୍ ଫାଉଣ୍ଡେସନ’ ଜରିଆରେ ମହାରାଷ୍ଟ୍ରର ମରୁଡ଼ି ପ୍ରପୀଡ଼ିତ ଗରିବ ଚାଷୀମାନଙ୍କୁ ସହାୟତାର ହାତ ବଢ଼ାଇ ସେ ଲୋକଙ୍କ ହୃଦୟ ଜିତିଥିଲେ। କୋଟି କୋଟି ଟଙ୍କାର ମାଲିକ ହୋଇ ମଧ୍ୟ ଅତ୍ୟନ୍ତ ସାଧାରଣ ଜୀବନ ବିତାଉଥିବା ଏହି ଅଦ୍ୱିତୀୟ କଳାକାରଙ୍କ ବିୟୋଗରେ ଆଜି ସାରା ଭାରତୀୟ ସିନେମା ଜଗତରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି।








Leave a Reply