ଭାରତୀୟ ବାୟୁସେନାର ନୂତନ ମୁଖ୍ୟ ଭାବେ ଏୟାର ମାର୍ଶାଲ ଆଶୁତୋଷ ଦୀକ୍ଷିତ ନିଯୁକ୍ତ ହୋଇଛନ୍ତି। ସେ ଆସନ୍ତା ଅକ୍ଟୋବର ୩୧ ତାରିଖରେ ଅବସର ନେଉଥିବା ବର୍ତ୍ତମାନର ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଅମର ପ୍ରୀତ ସିଂହଙ୍କ ସ୍ଥାନ ନେଇ ଦେଶର ୨୯ତମ ବାୟୁସେନା ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବେ।
୧୯୮୬ ମସିହାରେ ବାୟୁସେନାର ଫାଇଟର ଷ୍ଟ୍ରିମରେ ଯୋଗ ଦେଇଥିବା ଏୟାର ମାର୍ଶାଲ ଦୀକ୍ଷିତ ଜଣେ ଅତ୍ୟନ୍ତ ଅଭିଜ୍ଞ ଏକ୍ସପେରିମେଣ୍ଟାଲ ଟେଷ୍ଟ ପାଇଲଟ ତଥା ଯୋଗ୍ୟତାପ୍ରାପ୍ତ ଫ୍ଲାଇଂ ଇନଷ୍ଟ୍ରକ୍ଟର, ଯାହାଙ୍କ ପାଖରେ ମିରାଜ-୨୦୦୦, ମିଗ୍-୨୧, ଜାଗୁଆର, ସ୍ୱଦେଶୀ ତେଜସ୍ ସମେତ ବିଭିନ୍ନ ଯୁଦ୍ଧବିମାନରେ ୩,୫୦୦ ଘଣ୍ଟାରୁ ଅଧିକ ସମୟ ଉଡ଼ାଣ କରିବାର ଦକ୍ଷତା ରହିଛି। ୧୯୯୯ କାର୍ଗିଲ ଯୁଦ୍ଧ ସମୟରେ ‘ଅପରେସନ ସଫେଦ ସାଗର’ ଓ ‘ଅପରେସନ ରକ୍ଷକ’ରେ ପ୍ରମୁଖ ଭୂମିକା ତୁଲାଇବା ସହିତ ସେ ବାୟୁସେନାର ଉପ-ମୁଖ୍ୟ ଓ ସେଣ୍ଟ୍ରାଲ ଏୟାର କମାଣ୍ଡର ମୁଖ୍ୟ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରି ନିଜର ଦକ୍ଷତା ପ୍ରମାଣିତ କରିଛନ୍ତି।
କ’ଣ ରହିଛି ଆହ୍ୱାନ?
ନୂତନ ବାୟୁସେନା ମୁଖ୍ୟ ଭାବେ ଏୟାର ମାର୍ଶାଲ ଦୀକ୍ଷିତଙ୍କ କାର୍ଯ୍ୟକାଳ ଏକ ଅତ୍ୟନ୍ତ ସମ୍ବେଦନଶୀଳ ସମୟରେ ଆରମ୍ଭ ହେଉଥିବା ବେଳେ ତାଙ୍କ ଆଗରେ ଏକାଧିକ କଠିନ ଆହ୍ୱାନ ରହିଛି। ବାୟୁସେନାର ଅନୁମୋଦିତ ୪୨ଟି ସ୍କ୍ୱାଡ୍ରନ୍ ତୁଳନାରେ ବର୍ତ୍ତମାନର ସଂଖ୍ୟା ମାତ୍ର ୩୦-୩୧କୁ ଖସିଆସିଥିବାରୁ ପୁରୁଣା ମିଗ୍ ବିମାନଗୁଡ଼ିକର ଅବସର ପରେ ସୃଷ୍ଟି ହେଉଥିବା ଶୂନ୍ୟସ୍ଥାନ ପୂରଣ କରିବା ତାଙ୍କ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେବ।
ଏହାସହ ‘ଆତ୍ମନିର୍ଭର ଭାରତ’ ଅଧୀନରେ ସ୍ୱଦେଶୀ ଏଲ୍ସିଏ ତେଜସ୍ ଏମକେ-୧ଏ ବିମାନଗୁଡ଼ିକର ତ୍ୱରିତ ଡେଲିଭରୀ କରାଇବା, ଦୀର୍ଘ ଦିନରୁ ପ୍ରତୀକ୍ଷିତ ୧୧୪ଟି ବହୁମୁଖୀ ଯୁଦ୍ଧବିମାନ (MRFA) ଚୁକ୍ତିକୁ ଆଗେଇ ନେବା ଏବଂ ସ୍ଥଳ, ନୌ ଓ ବାୟୁସେନା ମଧ୍ୟରେ ସମନ୍ୱୟ ରକ୍ଷା ପାଇଁ ପ୍ରସ୍ତାବିତ ମିଳିତ ‘ଥିଏଟର କମାଣ୍ଡ’ ବ୍ୟବସ୍ଥାରେ ବାୟୁସେନାର ସ୍ୱାଧୀନ କ୍ଷମତା ବଜାୟ ରଖିବା ତାଙ୍କ ପ୍ରାଥମିକତା ହେବ। ଏହା ବ୍ୟତୀତ ଚୀନ ଏବଂ ପାକିସ୍ତାନ ସୀମାରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଷ୍ଟେଲ୍ଥ ଯୁଦ୍ଧବିମାନ, ଡ୍ରୋନ୍ ସ୍ୱାର୍ମ ଓ ହାଇପରସୋନିକ୍ ମିସାଇଲର ମୁକାବିଲା କରିବା ପାଇଁ ବାୟୁ ପ୍ରତିରକ୍ଷାକୁ ଅଧିକ ସୁଦୃଢ଼ କରିବାର ଗୁରୁଦାୟିତ୍ୱ ମଧ୍ୟ ତାଙ୍କ ଉପରେ ନ୍ୟସ୍ତ ରହିବ।
ଭାରତୀୟ ବାସୁସେନା କେତେ ଶକ୍ତିଶାଳୀ?
ଭାରତୀୟ ବାୟୁସେନାର ସାମର୍ଥ୍ୟ ଉପରେ ନଜର ପକାଇଲେ, ଆମେରିକା, ଋଷିଆ ଏବଂ ଚୀନ ପରେ ଭାରତୀୟ ବାୟୁସେନା ବିଶ୍ୱର ଚତୁର୍ଥ ବୃହତ୍ତମ ବାୟୁସେନା ଭାବେ ପରିଗଣିତ। ୮ ଅକ୍ଟୋବର ୧୯୩୨ରେ ପ୍ରତିଷ୍ଠା ଲାଭ କରିଥିବା ଭାରତୀୟ ବାୟୁସେନାରେ ପ୍ରାୟ ୧,୪୦,୦୦୦ରୁ ଅଧିକ ସକ୍ରିୟ ଯବାନ ଓ ଅଧିକାରୀ ବର୍ତ୍ତମାନ କାର୍ଯ୍ୟରତ ଅଛନ୍ତି। ରାଫେଲ୍, ସୁଖୋଇ-୩୦ MKI, ମିରାଜ-୨୦୦୦, ମିଗ୍-୨୯ ଏବଂ ସ୍ୱଦେଶୀ ତେଜସ୍ ଭଳି ଯୁଦ୍ଧବିମାନ ତଥା ପରିବହନ ଓ ହେଲିକପ୍ଟରକୁ ମିଶାଇ ମୋଟ ୧,୭୦୦ରୁ ଅଧିକ ବିମାନ ଭାରତୀୟ ବାୟୁସେନା ପାଖରେ ରହିଛି। ଏହା ସହିତ ଏସ୍-୪୦୦, ଆକାଶ ଓ ଏମ୍ଆରସାମ୍ ଭଳି ଅତ୍ୟାଧୁନିକ କ୍ଷେପଣାସ୍ତ୍ର ପ୍ରଣାଳୀ ଦେଶର ଆକାଶ ମାର୍ଗକୁ ସୁରକ୍ଷା ପ୍ରଦାନ କରୁଛି।





Leave a Reply