ଭୁବନେଶ୍ୱର: ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ଅଦଳବଦଳ କରିଛନ୍ତି ଓଡ଼ିଶା ସରକାର। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ବରିଷ୍ଠ ଓଏଏସ ଅଧିକାରୀ ତଥା ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ଥିବା ଶ୍ରୀ ତ୍ରିଲୋଚନ ମହାନ୍ତି, ଓ.ପ୍ର.ସେ. (ଏସ୍)ଙ୍କର ବଦଳି କରାଯାଇଛି। ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସ୍ଥାନାନ୍ତର କରାଯାଇ ଭୁବନେଶ୍ୱରସ୍ଥିତ ରାଜସ୍ୱ ଅଧିକାରୀ ତାଲିମ ପ୍ରତିଷ୍ଠାନ (ROTI) ର ଯୁଗ୍ମ ନିର୍ଦ୍ଦେଶକ ଭାବେ ନୂତନ ଦାୟିତ୍ୱରେ ଅବସ୍ଥାପିତ କରାଯାଇଛି।
ଶ୍ରୀ ମହାନ୍ତିଙ୍କର ଏରକମ ବଦଳିକୁ ନେଇ ସରକାରୀ ଅଳିନ୍ଦରେ ବିଶେଷ କରି କେନ୍ଦୁଝର ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଛି। ରାଜ୍ୟରେ ବିଜେପି ସରକାର ଗଠନ ଏବଂ ମୋହନ ମାଝୀ ମୁଖ୍ୟମନ୍ତ୍ରୀ ହେବାପରେ କେନ୍ଦୁଝରର ତତ୍କାଳୀନ ଉପଜିଲ୍ଲାପାଳ ଶ୍ରୀ ମାଝୀଙ୍କୁ ସିଧା ସିଏମ୍ଓକୁ ଅଣାଯାଇଥିଲା। ପୂର୍ବ ସରକାରରେ ଯେପରି ଭି.କେ ପାଣ୍ଡିଆନ୍ ନବୀନ ପଟ୍ଟନାୟକଙ୍କ ପାଖେ ପାଖେ ଛାଇ ଭଳି ରହୁଥିଲେ, ସମାନ ଭାବରେ ଶ୍ରୀ ମହାନ୍ତିଙ୍କୁ ମୋହନ ମାଝୀଙ୍କ ପାଖରେ ଦେଖିବାକୁ ମିଳୁଥିଲା। ବଡ଼ ସଭାସମିତି ଠାରୁ ଆରମ୍ଭ କରି ସମସ୍ତ ସରକାରୀ କାର୍ଯ୍ୟକ୍ରମରେ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଦେଖିବାକୁ ମିଳୁଥିଲା। କେତେବେଳେ ସେ ଆସି ମୁଖ୍ୟମନ୍ତ୍ରୀଙ୍କ କାନରେ କିଛି କହିପକାଉଥିଲେ, ପୁଣି କେବେ ତାଙ୍କ ହାତକୁ କାଗଜ ଖଣ୍ଡେ ବଢ଼ାଇ ଦେଉଥିଲେ। ଏପରିକି ଲୋକେ ତାଙ୍କୁ ବିଜେପି ସରକାରର ପାଣ୍ଡିଆନ୍ ଡାକିବା ଆରମ୍ଭ କରିଦେଇଥିଲେ। ତେବେ, ହଠାତ୍ କ’ଣ ଏମିତି ହେଲା? କାହିଁକି ମୁଖ୍ୟମନ୍ତ୍ରୀଙ୍କର ଶ୍ରୀ ମହାନ୍ତିଙ୍କ ଉପରୁ ଭରସା ତୁଟିଗଲା? ଏହାକୁ ନେଇ ଏବେ ବଡ଼ ପ୍ରଶ୍ନବାଚୀ।







Leave a Reply