IAS Reshuffle | ଆଇଏଏସ୍ ସ୍ତରରେ ଅଦଳବଦଳ

ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରାଯାଇ ୭ ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରାଯାଇଛି। ଏହି କ୍ରମରେ ନବରଙ୍ଗପୁର ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିବା ଡକ୍ଟର ମହେଶ୍ୱର ସ୍ୱାଇଁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଭାବେ ନିଯୁକ୍ତି ମିଳିଛି। ଭୁବନେଶ୍ୱରସ୍ଥିତ ଅତିରିକ୍ତ ରିଭିଜନାଲ କୋର୍ଟର ଅତିରିକ୍ତ କମିଶନର ଥିବା ଶ୍ରୀ ପ୍ରଦୀପ କୁମାର ନାୟକଙ୍କୁ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଥିବା ବେଳେ ନୂଆପଡ଼ା ଜିଲ୍ଲାପାଳ ଶ୍ରୀ ମଧୁସୂଦନ ଦାଶଙ୍କୁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ସଚିବ ଭାବେ ଅବସ୍ଥାପିତ କରାଯାଇଛି।

ଅନ୍ୟପକ୍ଷରେ, ଦୁଇଟି ଜିଲ୍ଲାରେ ନୂତନ ଜିଲ୍ଲାପାଳ ନିଯୁକ୍ତ ହୋଇଛନ୍ତି; ଯେଉଁଥିରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଉପ-ସଚିବ ଥିବା ସୁଶ୍ରୀ ଅନ୍ୟା ଦାସ, ଆଇଏଏସ୍ ଙ୍କୁ ନବରଙ୍ଗପୁରର ନୂଆ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଏବଂ ମାତୃତ୍ୱକାଳୀନ ଛୁଟି ପରେ ସାଧାରଣ ପ୍ରଶାସନ ବିଭାଗରେ ଯୋଗ ଦେଇଥିବା ସୁଶ୍ରୀ ମଧୁମିତା, ଆଇଏଏସ୍ ଙ୍କୁ ନୂଆପଡ଼ାର ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ୱ ଦିଆଯାଇଛି। ଏହା ବ୍ୟତୀତ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅନୁ-ସଚିବ ଭାବେ କାର୍ଯ୍ୟରତ ଥିବା ସୁଶ୍ରୀ ଅଶ୍ନି ଏ. ଏଲ୍. ଆଇଏଏସ୍ ଙ୍କୁ ଭବାନୀପାଟଣାର ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ସେହିପରି ଭବାନୀପାଟଣାର ପୂର୍ବତନ ଉପଜିଲ୍ଲାପାଳ ସୁଶ୍ରୀ କସ୍ତୁରୀ ଶାହା, ଆଇଏଏସ୍ ଙ୍କୁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଅନୁ-ସଚିବ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି।

 

Leave a Reply

Your email address will not be published. Required fields are marked *