ODISHA LENS

The Bigger Picture

ପୁଣିଥରେ ଝାଡ଼ଖଣ୍ଡ ନେତାଙ୍କୁ ଓଡ଼ିଶା ଦାୟିତ୍ୱ

ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ଦେଶର ୬ଟି ରାଜ୍ୟରେ ନୂଆ ରାଜ୍ୟପାଳ ନିଯୁକ୍ତି ଦେଇଥିବା ବେଳେ ଓଡ଼ିଶା ରାଜଭବନକୁ ମିଳିଛନ୍ତି ନୂତନ ମୁଖ୍ୟ। ଝାଡ଼ଖଣ୍ଡର ବରିଷ୍ଠ ରାଜନେତା ତଥା ପୂର୍ବତନ ସାଂସଦ ଡ. ବ୍ରଜ ମୋହନ ରାମଙ୍କୁ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି। ରାଷ୍ଟ୍ରପତି ଭବନ ପକ୍ଷରୁ ଏ ସମ୍ପର୍କିତ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ରାଜ୍ୟ ରାଜନୈତିକ ଓ ପ୍ରଶାସନିକ ମହଲରେ ଉତ୍ସାହ ପ୍ରକାଶ ପାଇଛି।

ଡ. ବ୍ରଜ ମୋହନ ରାମ ଜଣେ ଅଭିଜ୍ଞ ତଥା ତୃଣମୂଳ ସ୍ତରର ଜନପ୍ରିୟ ନେତା। ୧୯୫୮ ମସିହା ଜାନୁଆରୀ ୧ ତାରିଖରେ ପଲାମୁ ଜିଲ୍ଲାର ଚାନ୍ଦୱାରେ ଜନ୍ମଗ୍ରହଣ କରିଥିବା ଶ୍ରୀ ରାମ ରାଞ୍ଚି ବିଶ୍ୱବିଦ୍ୟାଳୟରୁ ସ୍ନାତକ ଶିକ୍ଷା ସମାପ୍ତ କରିଥିଲେ। ରାଜନୀତି ସହ କୃଷି କ୍ଷେତ୍ରରେ ସକ୍ରିୟ ରହିଥିବା ଏହି ରାଜନେତା ନିଜର ସରଳ ଜୀବନଶୈଳୀ ଓ ଜନସେବା ପାଇଁ ପରିଚିତ।

ସଂସଦୀୟ ରାଜନୀତିରେ ତାଙ୍କର ଦୀର୍ଘ ଅଭିଜ୍ଞତା ରହିଛି। ସେ ୧୯୯୧ରୁ ୧୯୯୫ ପର୍ଯ୍ୟନ୍ତ ବିହାର ବିଧାନସଭାର ସଦସ୍ୟ ଭାବେ କାର୍ଯ୍ୟ କରିବା ପରେ ଝାଡ଼ଖଣ୍ଡର ପଲାମୁ ଲୋକସଭା ଆସନରୁ ଲଗାତାର ୩ ଥର (୧୯୯୬, ୧୯୯୮ ଓ ୧୯୯୯) ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଦଳୀୟ ସଂଗଠନରେ ସେ ବିଜେପି ଏସସି ମୋର୍ଚାର ରାଜ୍ୟ ପ୍ରଭାରୀ ଭାବେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇ ନିଜର ସାଙ୍ଗଠନିକ ଦକ୍ଷତା ପ୍ରମାଣିତ କରିଛନ୍ତି।

ଓଡ଼ିଶା ଭଳି ଏକ ବିକାଶମୁଖୀ ରାଜ୍ୟରେ ସାମ୍ବିଧାନିକ ମୁଖ୍ୟ ଭାବେ ତାଙ୍କର ଏହି ଦୀର୍ଘ ସଂସଦୀୟ ଓ ରାଜନୈତିକ ଅଭିଜ୍ଞତା ବେଶ୍ ଫଳପ୍ରଦ ହେବ। ଉଭୟ ବିଧାନସଭା ଓ ଲୋକସଭାର କାର୍ଯ୍ୟଧାରା ସମ୍ପର୍କରେ ତାଙ୍କର ବ୍ୟାପକ ଜ୍ଞାନ ରାଜ୍ୟ ପ୍ରଶାସନ ତଥା ବିକାଶମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାରେ ବଡ଼ ଭୂମିକା ଗ୍ରହଣ କରିବ ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି।

ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ଝାଡ଼ଖଣ୍ଡର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କୁ ଓଡ଼ିଶାର ରାଜ୍ୟପାଳ ନିଯୁକ୍ତ କରାଯାଇଥିଲା। ତାଙ୍କ ସମୟରେ ହିଁ ଓଡ଼ିଶାରେ ବିଜେପି ପ୍ରଥମ କରି ସରକାର ଗଠନର ସୁଯୋଗ ଲାଭ କରିଥିଲା। ଏବେ ପୁଣିଥରେ ଓଡ଼ିଶାର ରାଜ୍ୟପାଳ ଭାବେ ଆଉଜଣେ ଝାଡ଼ଖଣ୍ଡ ନେତାଙ୍କୁ ପଠାଇ ବିଜେପି କେନ୍ଦ୍ରୀୟ ନେତୃତ୍ୱ କି ବାର୍ତ୍ତା ଦେବାକୁ ଚାହୁଁଛନ୍ତି, ଏ ନେଇ ଏବେ ଚର୍ଚ୍ଚା ଲାଗିରହିଛି।

Leave a Reply

Your email address will not be published. Required fields are marked *